ଓଳାଶୁଣୀ ଚଉତିଶା

 

 

 

 

 

 

 

 

 

ଓଳାଶୁଣୀ ଚଉତିଶା

ଶ୍ରୀ ଅରକ୍ଷିତ ଦାସ

 

(ସନ୍ଥକବି ଅରକ୍ଷିତ ଦାସ- ଧର୍ମ, ଦର୍ଶନ ଓ ସାହିତ୍ୟ ଜଗତର ଏକ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ । ମହାପୁରୁଷ ସେ । ଯାଜପୁର ଜିଲ୍ଲାର ଓଳାଶୁଣୀ ପାହାଡ଼ ତାଙ୍କ ସାଧନାର ପୀଠ- ଯେଉଁଠାରୁ ତାଙ୍କର ତତ୍ତ୍ୱ ପ୍ରଚାରିତ ହୋଇ ଆସୁଛି । କବିଙ୍କଦ୍ୱାରା ରଚିତ ମହୀମଣ୍ଡଳ ଗୀତା, ଭକ୍ତିଟୀକା, ମହୀମଣ୍ଡଳ ଗୁପ୍ତଟୀକା, ମୋକ୍ଷ ଉପାଧି, ଶକାବ୍ଦ ସଂହିତା, ବାଲ୍ୟବୋଧ, ବହୁ ଜଣାଣ, ଭଜନ ଓ ଚଉତିଶା ଓଡ଼ିଆ ସାହିତ୍ୟ ଜଗତକୁ ମହିମାମଣ୍ଡିତ କରିଛି । ଅରକ୍ଷିତଙ୍କ ଦୁଇଟି ଚଉତିଶା ହେଉଛି- ଓଳାଶୁଣୀ ପର୍ବତ ଚଉତିଶା ଓ ଦୂତୀବୋଧିନୀ ଚଉତିଶା । ‘ଓଳାଶୁଣୀ ପର୍ବତ’ ଚଉତିଶାଟିରେ ଭଗବାନଙ୍କୁ ଭକ୍ତର ନିବେଦନ, ନାମର ମାହାତ୍ମ୍ୟ ତଥା କବିଙ୍କ ଭକ୍ତିମତ୍ତା ଫୁଟି ଉଠିଛି ।)

କହୁଅଛି ଚଇତନ ଶୁଣ ଆରେ ମନ

 

କିମ୍ପାଇ ମାୟାରେ ପଡ଼ି ଭ୍ରମିହେଉ ପୁଣ

।୧।

ଖଳ ବୁଦ୍ଧି କରିଣ ତୁ ଆପେ ନାଶ ଗଲୁ

 

ଖଗପତି ନାଥ ନାମ କିମ୍ପା ନ ଭଜିଲୁ

।୨।

ଗେଲ ଯେ ଗରବ ତୋର କେତେ ଦିନ ଥିବ

 

ଗୋବିନ୍ଦ ଗଲେ ତୋ ପିଣ୍ଡ ମାଟିରେ ମିଶିବ

।୩।

ଘର ବୋଲି ମଣୁଅଛୁ ମାୟା ଦେହେ ରହି

 

ଘନଶ୍ୟାମ ପତି ପାଦେ ନ ସେବୁ କିମ୍ପାଇଁ

।୪।

ଉଇଁଅଛି ନାମ ଦେଖ ରାତ୍ର ଦିବା ନାହିଁ

 

ଅନ୍ଧ ହୋଇ ଭ୍ରମି ମରୁଅଛୁ କାହିଁପାଇଁ

।୫।

ଚିତ୍ତ ଛନ ଛନ କରି ଆପେ ନାଶ ଗଲୁ

 

ଚିତ୍ତ ସ୍ଥିର କରି କିମ୍ପା ନାମ ନ ଭଜିଲୁ

।୬।

ଛନ୍ଦ ବୁଦ୍ଧି ନ କରିବୁ କହୁଅଛି ମୁହିଁ

 

ଛାଡ଼ିଣ ତୁ ସର୍ବଚିନ୍ତା ଭକ୍ତି ସାଧ ଯାଇ

।୭।

 

ଭାବାର୍ଥ- (୧-୭) କବି ସମଗ୍ର ମାନବ ସମାଜକୁ ସାଂସାରିକ ମୋହମାୟା ଆସକ୍ତିରୁ ପାର ହେବାକୁ ଭକ୍ତିମାର୍ଗରେ ଚାଲିବା ପାଇଁ ଆହ୍ୱାନ ଦେଇଛନ୍ତି । ରେ ମନ, କାହିଁକି ମିଛ ମାୟାରେ ପଡ଼ି ଭ୍ରମି ହେଉଛୁ ? ଖଳବୁଦ୍ଧି କରି ତୁ ନିଜେ ନାଶ ଗଲୁ । ଧର୍ମର ପଥ ହୁଡ଼ିଲୁ, ଅଥଚ ବିଷ୍ଣୁଙ୍କ ନାମ ଥରୁଟିଏ ମଧ୍ୟ ତୁଣ୍ଡରେ ଧରିଲୁ ନାହିଁ । ତୋର ଏ ଗର୍ବ, ଦମ୍ଭ, ଗେଲବସର ପଣିଆ କେତେ ଦିନ ରହିବ ? ମଣିଷ ଜୀବନଟା ଚାହୁଁ ଚାହୁଁ ସରିଯିବ । ପିଣ୍ଡରୁ ପ୍ରାଣ ଗଲେ ତୋର ଏ ତୁଚ୍ଛ ଦେହଟା ମାଟିରେ ମିଶିଯିବ ।

 

ତୋର ଏ ଦେହ ମାୟା, ସବୁ ମିଛ । ଖାଲି ମୋ ଘର, ମୋ ସ୍ତ୍ରୀ, ମୋ ପୁଅ ହେଉଛୁ । ଏଥିରୁ କ’ଣ ମିଳିବ ? ଭଗବାନଙ୍କ ନାଁ କାହିଁକି ଜପୁନାହୁଁ ? ଏ ସଂସାର ମାୟା, ସବୁ ମିଛ । ଭଗବାନ ହିଁ ସତ୍ୟ । ସେ ସବୁକୁ ନ ବୁଝି ସଂସାର ବିଷୟ ପ୍ରତି ଅନ୍ଧ ହୋଇଯାଇଛୁ । ମନକୁ ଏଣୁତେଣୁ କରି ମରୁଛୁ । ମନକୁ ଛନ୍ନ ଛନ୍ନ କରି ଅର୍ଥାତ୍ ଅସ୍ଥିର କରି ନିଜେ ନାଶ ଗଲୁ । ମନକୁ ସ୍ଥିର କରି ପରମେଶ୍ଵରଙ୍କ ନାମ ଭଜନ କରେ, ତୁ ମୁକ୍ତି ପାଇବୁ । ରେ ମନ ମୋ କଥା ମାନେ, ଛନ୍ଦବୁଦ୍ଧିରେ ନ ବୁଡ଼ି ଭକ୍ତି ଭାବନାରେ ମନ ଦେ । ଅନ୍ୟ ସବୁ ମନ୍ଦ ଚିନ୍ତା ଛାଡ଼ି ଉତ୍ତମ ମାର୍ଗରେ ଚାଲେ ।

 

ଜଗତ ଜୀବନ ପ୍ରଭୁ ଚିନ୍ତା ତୁହି କର

 

ଯମ ଦଣ୍ଡ ନ ଲାଗିବ ହେବୁ ଅଜାମର

।୮।

ଝଗଡ଼ା ସଂସାର ମନ ବେଗେ ଦୂର କର

 

ଝଡ଼ର ଭିତରେ ପଶି ସୁଖେ ଦିନ ହର

।୯।

ନିରଞ୍ଜନ ନାମକୁ ତୁ ଲୟ କରିଥିବୁ

 

ନିରଞ୍ଜନ ବୋଲି ସର୍ବ ସମାନ ଦେଖିବୁ

।୧୦।

ଟାଣ ପଣ ଛାଡ଼ିଣ ତୁ ନାମ ନିତ୍ୟେ ଭାବ

 

ଟାକିଲେଟି ଦୟା ତୋତେ କରିବେ ରାଘବ

।୧୧।

ଠକ ବୁଦ୍ଧି ନ କରିବୁ କହୁଅଛି ମୁହିଁ

 

ଠିକେ ଅରକ୍ଷିତ ଦାସ ଶରଣ ମାଗଇ

।୧୨।

ଡୁବୁଡୁବା ପର୍ବତରେ ରହିଲୁ କିମ୍ପାଇଁ

 

ଡର ଭୟ ଛାଡ଼ିଣ ତୁ ଭକ୍ତି ସାଧ ଯାଇଁ

।୧୩।

ଢମ ପଣ ନ କରିବୁ କହୁଅଛି ମୁହିଁ

 

ଢୋକୁଚୁ ଗରଳ ବିଷ ମାରିବାର ପାଇଁ

।୧୪।

ଅଣ ହେଳା କରିଣତୁ ଆପେ ଗଲୁ ନାଶ

 

ଅରଣ୍ୟ ଭିତରେ ପଶି ଭଜ ପୀତବାସ

।୧୫।

 

 

ତପି ବାର ବ୍ରତ ତୀର୍ଥ ପୂଜା ହୋମ ମିଛ

 

ତତ୍ତ୍ୱ କରି କହୁଅଛି ଭକ୍ତି ଯୋଗେ ପଶ

।୧୬।

ଥବିର ହୋଇଣ ଚିତ୍ତେ ଥୟ ତୁହି ହୁଅ

 

ଥୟ ହୋଇ ରହିବ ତୋ ଅଜାମର ଦେହ

।୧୭।

 

ଭାବାର୍ଥ- (୮-୧୭) ଏ ସଂସାର ଅଳିକ । ମିଥ୍ୟା, ମାୟାରେ ପରିପୂର୍ଣ୍ଣ । ମିଥ୍ୟାର ସଂସାରରେ ଜଗତର ଜୀବନ ହେଉଛନ୍ତି ପ୍ରଭୁ ପରମେଶ୍ୱର । ତାଙ୍କ ଚିନ୍ତାରେ ମନ ନିବେଶ କର । ରେ ମନ, ପ୍ରଭୁଙ୍କ ପାଦତଳେ ମନ ରଖିଲେ ଯମଦଣ୍ଡ ଦୋଷ ଲାଗିବ ନାହିଁ । ଅଜାମର ହେବୁ । ମିଛ ମାୟାର ସଂସାର, ହିଂସା ଦ୍ୱେଷ, ପରଶ୍ରୀକାତରତା, କଳହ ରୀତିମତ ଏଇଠି ଚାଲିଛି । ଏ ସବୁରୁ ଦୂରେଇ ରହ । ଭଗବାନଙ୍କ ନାମ ସ୍ମରଣ କରି ସୁଖରେ ରହିବୁ । ନିରଞ୍ଜନ ନାମ ହିଁ ସକଳ ଦୁଃଖକୁ ବିନାଶ କରିବ । ଏ ନାମକୁ ଲୟ ରଖ । ସର୍ବଦେହରେ ସେ ବିଦ୍ୟମାନ । ତାଙ୍କର ସୃଷ୍ଟିରେ ସମସ୍ତେ ସମାନ ।

 

ଦମ୍ଭ, ଗର୍ବ, ଟାଣପଣ ଛାଡ଼ି ଭଗବାନଙ୍କ ନିକଟରେ ନିତ୍ୟ ଭାବ ରଖ । ପରମେଶ୍ୱର ସଭିଙ୍କ ଦୁଃଖ, ପାପ ହରଣ କରନ୍ତି । ସେ ଦୟାର ସାଗର । ଡାକିଲେ ତାଙ୍କର କରୁଣା ନିଶ୍ଚୟ ପ୍ରାପ୍ତ ହେବ ରେ ମନ, ମୋ କଥା ଶୁଣ । ଠକ ବୁଦ୍ଧି ଆଚରଣ କର ନାହିଁ । ଅରକ୍ଷିତ ଦାସର ଏହା ନିବେଦନ । ସେ ପରମେଶ୍ଵରଙ୍କ ଶରଣ ମାଗୁଛି ।

 

ଡୁବୁଡୁବା ପର୍ବତରେ ରହି ମହାପୁରୁଷ ଅରକ୍ଷିତ ଦାସ ବାସ କରୁଥିଲେ । ଡରଭୟ ଛାଡ଼ି ସେ ପ୍ରଭୁଙ୍କ ଶରଣ ପଶିଛନ୍ତି । କବି ନିବେଦନ କରୁଛନ୍ତି- ରେ ମନ, ମନରେ ଗର୍ବକୁ ସ୍ଥାନ ଦିଅ ନାହିଁ । ତୁ ସର୍ବଦା ମରିବା ପାଇଁ ଗରଳକୁ ଉଦରସ୍ଥ କରୁଛୁ । ଗର୍ବ, ଅହଙ୍କାର ଛାଡ଼, ମୁକ୍ତି ମିଳିବ । ଅଣହେଳା କରି ତୁ ନିଜେ ନାଶ ଗଲୁ । ଭଗବାନଙ୍କୁ ମନ ମଧ୍ୟରେ ନିରନ୍ତର ଭଜନ କର । ସବୁ ଦୁଷ୍ମୃତିରୁ ମୁକ୍ତି ମିଳିବ । ତପସ୍ୟା, ପୂଜା, ବ୍ରତ, ହୋମ- ଏ ସବୁ ମିଛ । ତତ୍ତ୍ୱ ଦୃଷ୍ଟିରୁ ଭକ୍ତି ଯୋଗ ହିଁ ଶ୍ରେଷ୍ଠ । ସ୍ଥିର ଭାବରେ ମନକୁ ଥୟ ରଖ । ତା’ ହେଲେ ଏ ଦେହ, ମନ ଥୟ ରହିବ ।

 

ଦୟାନିଧି ଭାବଗ୍ରାହୀ ରାମକୃଷ୍ଣ ହରି

 

ଦୟା ତୋତେ କରିବେଟି ପ୍ରଭୁ ବନମାଳୀ

।୧୮।

ଧରି ତାଙ୍କ ନାମ ଗୋଟି ଈଶ୍ୱର ଅମର

 

ଧର ସେହି ନାମକୁ ତୁ କାଳ ମୁଖୁ ତର

।୧୯।

ନ ଜାଣୁ କି ପୂର୍ବେ ଅଜାମିଳ ମହାପାପୀ

 

ନାମକୁ ଚିନ୍ତିଣ ସେହୁ ରହିଛି ଅଦ୍ୟପି

।୨୦।

ପତିତପାବନ ବାନା ପାପ କରେ ନାଶ

 

ପାପୀ ଏବେ ତୁହି ସିନା ହରିନାମ ଘୋଷ

।୨୧।

ଫନ୍ଦା କରିଥିବୁ ତାଙ୍କ ପାଦ ପଦ୍ମେ ତୁହି

 

ଫେଡ଼ିବେ ସକଳ ଦୁଃଖ ବ୍ରହ୍ମାଣ୍ଡ ଗୋସାଇଁ

।୨୨।

ବନଗିରି ପର୍ବତେ ଛପନ ଗୋଟି ଜୀବ

 

ବନମାଳୀ ବୋଲିଣ ତୁ ହୃଦେ ନିତ୍ୟ ଭାବ

।୨୩।

 

 

ଭକତି ଯୋଗକୁ ମନ ନ ସାଧୁ କିମ୍ପାଇଁ

 

ଭ୍ରମୁଛି ଅର୍କ୍ଷିତ ଦାସ ଦୟାକର ତୁହି

।୨୪।

ମାୟା ମୋହ ସଂସାରକୁ ସତ୍ୟ ତୁ ନ ମଣ

 

ମାୟାକୁ କାଟିଣ ଏବେ ମୋର ନାମ ଧର

।୨୫।

ଜଗତଯାକରେ ହରିମୟ ତୁହି ଦେଖ

 

ଜୀବେ କି ଅଜୀବେ ପୂରିଛନ୍ତି ପଦ୍ମମୁଖ

।୨୬।

ରସକୂପ ଅନ୍ଧକାରେ ଭ୍ରମୁ କିସ ପାଇଁ

 

ରଙ୍ଗ ସିନା ଏହୁ ମିଛ ଖେଳେ ଭାବଗ୍ରାହୀ

।୨୭।

 

ଭାବାର୍ଥ- (୧୮-୨୭) ଏ ଭବସାଗରରୁ ପାର ହେବାକୁ ଚାହୁଁଥିଲେ ପ୍ରଭୁଙ୍କ ନାମରେ ମନ ଦିଅ । ସେ ଦୟାନିଧି, ଭାବଗ୍ରାହୀ । ରାମକୃଷ୍ଣ ଓ ହରି । ପ୍ରଭୁ ବନମାଳୀ ତୋତେ ଦୟା କରିବେ । ତାଙ୍କ ନାମକୁ ଧରି ଯମ ଦଣ୍ଡରୁ ରକ୍ଷାପାଇବୁ । କାଳ ମୁଖରୁ ତରିଯିବୁ । ରେ ମନ, ତୁ ଭଲ ଭାବରେ ଜାଣୁ, ପୂର୍ବେ ମହାପାପୀ ଅଜାମିଳ ନାରାୟଣ ନାମକୁ ଡାକି ମହାପାପରୁ ଉଦ୍ଧାର ପାଇଥିଲା । ନାମର କେତେ ମହିମା, ଏବେ ଯାଏଁ ଲୋକ ମୁଖରେ ବିଖ୍ୟାତ ଅଛି । ଭଗବାନଙ୍କର ପତିତପାବନ ବାନା ଫର ଫର ଉଡ଼ି ଜଗତବାସୀଙ୍କୁ ଜଣାଇ ଦେଉଛି ଯେ, ଏହା ପାପ ନାଶ କରେ-। ରେ ମନ, ତୁ ଏବେ ମହାପାପୀ, ହରିଙ୍କ ନାମ ନିରନ୍ତର ଘୋଷ, ପାପରୁ ମୁକ୍ତି ପାଇଯିବୁ-

 

ପ୍ରଭୁଙ୍କ ପାଦପଦ୍ମରେ ଅନବରତ ମନ ଦେ । ଜଗତର ନାଥ ସେଇ ବ୍ରହ୍ମାଣ୍ଡ ଗୋସାଇଁ ତୋ ସକଳ ଦୁଃଖକୁ ଫେଡ଼ିବେ । ବନଗିରି, ପାହାଡ଼ପର୍ବତ, ଚଉଦ ଭୁବନରେ । ଛପନ କୋଟି ଜୀବ ରହିଛନ୍ତି । ସଭିଙ୍କ ଦେହରେ ଭଗବାନ ବନମାଳୀ ବିଦ୍ୟମାନ । ସବୁ ଜୀବଜନ୍ତୁ ପ୍ରାଣୀଙ୍କୁ ପ୍ରଭୁ ବୋଲି ବିଚାର କର । ରେ ମନ, ଭକ୍ତି ଯୋଗକୁ ତୁ କାହିଁକି ସାଧୁନାହୁଁ ? ଅରକ୍ଷିତ ଦାସ ପ୍ରଭୁଙ୍କ ପାଦ ତଳେ ସମର୍ପି ଦେଇଛି । ଏ ସଂସାର ମୋହମାୟାରେ ପରିପୂର୍ଣ୍ଣ । ମିଥ୍ୟାର ଗନ୍ତାଘର । ଏହାକୁ ସତ୍ୟ ବୋଲି ଗ୍ରହଣ କରନାହିଁ । ମାୟା, ମୋହକୁ ଛାଡ଼ି ପ୍ରଭୁଙ୍କ ନାମ ଧର । ଜଗତଯାକ ହରିମୟ । ତୁ ତାଙ୍କୁ ଦେଖ । ଜୀବ ଅଜୀବ ସମସ୍ତଙ୍କ ଠାରେ ପ୍ରଭୁ ଭଗବାନ ପୂରି ରହିଛନ୍ତି । ମିଥ୍ୟାମୋହର ଅନ୍ଧକାର କୂପ ମଧ୍ୟରେ କାହିଁକି ପଡ଼ିଛୁ ? ପ୍ରଭୁ ଦୟାମୟ, ଏ ଜଗତକୁ ଖେଳାଉଛନ୍ତି-। ରେ ମନ, ତୁ ତାଙ୍କ ପଦାରବିନ୍ଦରେ ନିଜକୁ ହଜାଇ ଦେ ।

 

ଲୀଳା କରୁଅଛି ଦେଖ ନାହିଁ ରୂପରେଖ

 

ଲୀଳାରେ ଖେଳୁଛି ହରି ସର୍ବ ଜୀବେ ଦେଖ

।୨୮।

ବିନା ଫାଶେ ବାନ୍ଧିଣ ତୁ ତାହାଙ୍କୁ ରଖିବୁ

 

ବିନା ଫାଶ ଭକତିକୁ ଚିହ୍ନିଲେ ପାଇବୁ

।୨୯।

ଶ୍ରୀହରି ଶ୍ରୀପଦ୍ମପାଦେ କରିଥିବୁ ଲୟେ

 

ଶ୍ରୀହରିଟି ସର୍ବଜୀବ ଯାକରେ ଉଦୟେ

।୩୦।

ଶରୀରେଟି ସ୍ୱୟଂ ବ୍ରହ୍ମ ଉଦେ ତୋର ହୋଇ

 

ଶୁଣ କହୁଅଛି ଏକ ଭାବେ ଭଜ ତୁହି

।୩୧।

ସ୍ୱୟଂ ବ୍ରହାଣ୍ଡ ଠାକୁର ସ୍ୱୟଂ ଯେ ଈଶ୍ୱର

 

ସ୍ୱୟଂ ନାରାୟଣ ପ୍ରଭୁ ସ୍ୱୟଂ ନିରାକାର

।୩୨।

ହୃଦରେ ଗୁଣିବୁ ଏକା ହରିମୟ ବୋଲି

 

ହରିଟି ଦୟା କରିବେ ପ୍ରଭୁ ବନମାଳୀ

।୩୩।

କ୍ଷଣେ ଦଣ୍ଡେ କରିଣ ତୁ ନାମ ନିତ୍ୟେ ଧର

 

କ୍ଷଣକେ ଅର୍କ୍ଷିତ ଦାସ ହୋଇବ ଉଦ୍ଧାର

।୩୪।

 

ଭାବାର୍ଥ- (୨୮-୩୪) ରେ ମନ, ଭଗବାନ ଶୂନ୍ୟ ବ୍ରହ୍ମ, ନିରାକାର । ତାଙ୍କର ନିର୍ଦ୍ଦିଷ୍ଟ ରୂପରେଖ ନାହିଁ । ସେ ଲୀଳାମୟ, ସର୍ବଜୀବରେ ରହି ଲୀଳା କରୁଛନ୍ତି । ରେ ମନ, ବିନା ଫାଶରେ ଅର୍ଥାତ୍ ଭକ୍ତି ଫାଶରେ ତୁ ତାଙ୍କୁ ବାନ୍ଧି ରଖୁବୁ । ତୁ ତାଙ୍କୁ ପ୍ରଥମେ ଚିହ୍ନି ରଖ, ଭକ୍ତି ମାର୍ଗରେ ଚାଲ । ସର୍ବଦା ଶ୍ରୀହରିଙ୍କ ଶ୍ରୀପଦ୍ମପାଦରେ ଲୟ ରଖିଥିବୁ । ଶ୍ରୀହରି ହେଉଛନ୍ତି ସର୍ବଲୀଳାମୟ, ସର୍ବବିଦ୍ୟମାନ ।

 

ରେ ମନ, ତୋ ଶରୀରରେ ସ୍ୱୟଂ ବ୍ରହ୍ମ ଉଦୟ ହୋଇଛନ୍ତି । ପୂର୍ଣ୍ଣ ମନରେ ତାଙ୍କୁ ଧ୍ୟାନକର, କଥା ମାନ । ପରମେଶ୍ୱର ସ୍ଵୟଂ ବ୍ରହ୍ମାଣ୍ଡ ଠାକୁର, ସେ ସ୍ଵୟଂ ଈଶ୍ଵର । ସ୍ଵୟଂ ନାରାୟଣ, ସ୍ଵୟଂ ନିରାକାର ପ୍ରଭୁ । ହୃଦ ମଧ୍ୟରେ ତାଙ୍କୁ ଧ୍ୟାନ କର । ସେ ହିଁ ତୋତେ ଦୟା କରିବେ । କ୍ଷଣକାଳ ମଧ୍ୟ ନଷ୍ଟ ନ କରି ପ୍ରଭୁଙ୍କୁ ନିରନ୍ତର ଧ୍ୟାନ କର । କବି ଅରକ୍ଷିତ ଦାସ ଭଗବାନଙ୍କ ପଦାରବିନ୍ଦରେ ନିଜକୁ ହଜାଇ ଦେଇଛନ୍ତି ।

Image